ହେଡଲାଇନସ୍:

ଭୋଗ ପାଲଟିଲା ଜହର !!!!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସରସ୍ୱତୀ ପୂଜା ଭୋଗ ଖାଇ ୬୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ

ଚିକିତ୍ସା ନିମନ୍ତେ ପିଆରଏମ ମେଡ଼ିକାଲ କଲେଜରେ ଭର୍ତ୍ତି

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ବ୍ଲକ ଅନ୍ତର୍ଗତ ବଡ଼ ଯୋଡ଼ ପଞ୍ଚାୟତର ରଙ୍ଗାମାଟିଆ(ବି) ପ୍ରାଥମିକ ବିଦ୍ୟାଳୟ ଓ ବିଦ୍ୟାଳୟ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ଫେବୃଆରୀ ୧୦ରେ ବିଦ୍ୟାଦାତ୍ରୀ ଦେବୀ ସରସ୍ୱତୀଙ୍କ ପୂଜା ପାଳନ କରିଥିଲେ । ଉକ୍ତ ପୂଜାରେ ଚୁଡ଼ା ସହିତ ମୁଗ, ବୁଟ, ଆପେଲ, କଦଳୀ, ଅଙ୍ଗୁର, ଗୁଡ଼, ନଡ଼ିଆ ଆଦିରେ ପ୍ରସ୍ତୁତ ଭୋଗକୁ ବିଦ୍ୟାଳୟରେ ଅଧ୍ୟୟନରତ ୧୧୦ ଛାତ୍ରଛାତ୍ରୀମାନଙ୍କ ସହିତ ଅଙ୍ଗନୱାଡ଼ି କେନ୍ଦ୍ରର ପିଲାମାନେ, ଛାତ୍ର ଅଭିଭାବକ ଓ କେତେକ ଗ୍ରାମବାସୀମାନେ ସେବନ କରି ନିଜ ନିଜ ଘରକୁ ଫେରିଯାଇଥିଲେ । ଏମାନଙ୍କ ମଧ୍ୟରୁ ଶୁଭଶ୍ରୀ ବାରିକ, ଇତିଶ୍ରୀ ବାରିକ, ଶୁଭମ୍ ନାଏକ, ସାଗର ନାଏକ, ସଞ୍ଜିବନୀ ନାଏକ, ଅଙ୍କିତ ନାଏକ, ଅମିତ ନାଏକ, ବଣ୍ଟି ନାଏକ, କ୍ରିଷ୍ଣା ଦେହୁରୀ, ଚନ୍ଦନ ନାଏକ, ସନ୍ଧ୍ୟାରାଣୀ ନାଏକ ପ୍ରମୁଖ ଅଧିକାଂଶ ଛାତ୍ରଛାତ୍ରୀ, ଛାତ୍ର ଅଭିଭାବକ ଓ କେତେକ ଗ୍ରାମବାସୀମାନେ ହଠାତ୍ ଭୋର ସମୟରେ ଅସୁସ୍ଥ ଅନୁଭବ କରିଥିଲେ । ସେମାନଙ୍କୁ ପ୍ରଥମେ ଝାଡ଼ା ଓ ପରେ ବାନ୍ତି ଆରମ୍ଭ ହୋଇଥିଲା । ଏହା କ୍ରମାଗତ ଭାବେ ଲାଗି ରହିବାରୁ  ଏମାନଙ୍କ ମଧ୍ୟରୁ ୧୫ ଜଣଙ୍କୁ ୧୦୮ ଆମ୍ବୁଲାନ୍ସରେ କୃଷ୍ଣଚନ୍ଦ୍ରପୁର ପ୍ରାଥମିକ ଚିକିତ୍ସାଳୟ ଓ ୨୨ ଜଣଙ୍କୁ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଭେଷଜ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ପରବର୍ତ୍ତି ସମୟରେ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ବାରିପଦା ମେଡ଼ିକାଲ କଲେଜରେ ୪୫ରୁ ଅଧିକ ରୋଗୀ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବାର ଜଣାପଡ଼ିଛି । ଖବର ପାଇ ପ୍ରଶାସନ ପକ୍ଷରୁ ଏକ ୨ ଜଣିଆ ଡାକ୍ତରୀ ଦଳ ଉକ୍ତ ରଙ୍ଗାମାଟିଆ ଗାଁକୁ ଯାଇ ଅନ୍ୟ ଭୋଗ ଖାଇଥିବା ଛାତ୍ରୀଛାତ୍ରମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଇଥିଲେ ଏବଂ ସେମାନଙ୍କ ନିକଟରୁ ରକ୍ତ ନୂମନା ସଗ୍ରହ ମଧ୍ୟ କରିଥିଲେ । ଏଥି ସହିତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟ ନାରାୟଣ ବେହେରା, ବାରିପଦା ବ୍ଲକ ଗୋଷ୍ଠୀ  ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ସିଆରସିସି ଜଗଦୀଶ ଚନ୍ଦ୍ର ସାହୁ, ବାରିପଦା ବ୍ଲକ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ ପ୍ରମୁଖ ପିଆରଏମ ସରକାରୀ ମେଡ଼ିକାଲ କଲେଜରେ ପହଁଞ୍ଚି ଅସୁସ୍ଥ ଛାତ୍ରୀଛାତ୍ର, ଅଭିଭାବକ ଆଦିଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହିତ ଚିକିତ୍ସ କରୁଥିବା ଡ଼ାକ୍ତର ଦାଶଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ସ୍ଥାନୀୟ ଗ୍ରାମବାସୀ ତଥା ଜିଲ୍ଲା ଯୁବ କଂଗ୍ରେସ ସଭାପତି ଖବର ପାଇ ଅସୁସ୍ଥମାନଙ୍କୁ  ୧୦୮ ଡ଼କାଇ ଡ଼ାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରାଇବା ସଂଗେସଂଗେ କେସିପୁର ଓ ବାରିପବା ପିଆରଏମ ମେଡ଼ିକାଲରେ ପହଁଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝାସୁଝା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀବେହେରାଙ୍କୁ ସରକାରଙ୍କ ପକ୍ଷରୁ ଚୁଡ଼ା ଭୋଗ ବ୍ୟବସ୍ଥାକୁ ନିଷେଧ କରାଯାଇଥିବା ଉପରେ ପ୍ରଶ୍ନ କରିବାରୁ ଏବିଷୟରେ ତାଙ୍କୁ ଜଣାନଥିବାର କହିଥିଲେ । ଏଥି ସହିତ ଭୋଗ ପ୍ରସ୍ତୁତି ସମୟରେ ସମସ୍ତ ପ୍ରକାରର ସାବଧାନତା ଅବଲମ୍ବନ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ, ଛାତ୍ରୀଛାତ୍ର, ଛାତ୍ର ଅଭିଭାବକ ଓ କେତେକ ଗ୍ରାମବାସୀ ମଧ୍ୟ ଏହି ଭୋଗ ଖାଇଥିବା ସମୟରେ କେଉଁ କାରଣରୁ ଏମାନଙ୍କ ମଧ୍ୟରୁ କେତେକଙ୍କୁ ଝାଡ଼ା ଓ ବାନ୍ତି ହେଉଛି ତାହା ବିସ୍ମିତ କରିପକାଇଛି ବୋଲି କହିଥିଲେ । ସେହିପରି ବାରିପଦା ଗୋଷ୍ଠୀ  ଶିକ୍ଷା ଅଧିକାରୀ ଡ଼ଃ ମହାନ୍ତି ଏହା ଉପରେ ତଦନ୍ତ କରାଯିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି କହିଥିଲେ । ସେହିପରି ସରସ୍ୱତୀ ପୂଜାରେ ମଧ୍ୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମକୁ ଜାରି ରଖିବାକୁ ପରାମର୍ଶ ଦେଇଥିବାର କହିଥିଲେ । ରୋଗୀମାନଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ଦାଶ ଚିକିତ୍ସା ଚାଲିଛି ଓ ଛାତ୍ରଛାତ୍ରୀମାନେ ବିପଦ ମୁକ୍ତ ରହିଛନ୍ତି ବୋଲି କହିଥିଲେ । 

 

0
0
0
s2sdefault