ହେଡଲାଇନସ୍:

ସୁନାରାମ ସୋରେନ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତକୁ ନେଇ ବିବାଦ : ପ୍ରଶାସନ ପକ୍ଷରୁ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା  ପୌରପରିଷଦର ଭଞ୍ଜପୁର ଛକ ନିକଟରେ ଥିବା ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତକୁ ନେଇ ସୋନାରାମ ସୋରେନ ଫାଉଣ୍ଡେସନ କମିଟି ଓ ଆସେକା ମଧ୍ୟରେ ଦେଖା ଦେଇଛି ବିବାଦ । ଫଳରେ ଲ ଆଣ୍ଡ ଅଡର୍  ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା କରି ପ୍ରଶାସନ ପକ୍ଷରୁ ଭଞ୍ଜପୁର ଛକ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ସ୍ଥଳିରେ ୧୪୪ ଧାରା ଜାରି କରାଯାଇଛି । ଆଜି ବାରିପଦା ଅପରାହ୍ନରେ ଟାଉନଥାନା ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ନାଲି ପତାକା ପୋତିବା ସହିତ ଡ଼ାକବାଜି ଯନ୍ତ୍ରରେ ଘୋଷଣା କରିଛନ୍ତି । ଏହି ସମୟରେ ଆସେକା ପକ୍ଷରୁ ଭଞ୍ଜପୁର ଛକରେ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ନିମନ୍ତେ ଖୋଳାଯାଇଥିବା  ସ୍ଥାନରେ ସିମେଣ୍ଟ ଢ଼ଳେଇ କରାଯିବା ନିମନ୍ତେ ଏକ ଟ୍ରାକ୍ଟରରେ ପ୍ରସ୍ତୁତ ହୋଇ ଆସିଥିବା  ସିମେଣ୍ଟ ଓ ଚିପସ୍ କାର୍ଯ୍ୟରେ ଲାଗି ନପାରି ଫେରିଯାଇଥିଲା । 

          ସୂଚନାଯାଗ୍ୟ ଯେ, ମୟୂରଭଞ୍ଜ ଗଡ଼ଜାତ ରାଜ୍ୟ ଓଡ଼ିଶା ପ୍ରଦେଶ ସହିତ ୧୯୪୯ ଜାନୁଆରୀ ୧ରେ ମିଶ୍ରଣ ପରେ ୧୯୫୧ରେ ଅନୁଷ୍ଠିତ ବିଧାନସଭା  ନିର୍ବାଚନରେ ମୟୂରଭଞ୍ଜ ଜିଲ୍ଲାର ବହଳଦା ବିଧାନସଭା କ୍ଷେତ୍ରରୁ କଂଗ୍ରେସ ଟିକଟରେ ନିର୍ବାଚିତ ଆଦିବାସୀ ନେତା ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ଭଂଜପୁର ଛକରେ  ପୂର୍ବରୁ ସ୍ଥାପିତ ହୋଇଥିଲା । ଉକ୍ତ ପ୍ରତିମୂର୍ତ୍ତି ବଦଳରେ ଏକ ପୂର୍ଣ୍ଣ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଭଞ୍ଜପୁର ଛକରେ ସ୍ଥାପନ କରିବା ପାଇଁ ଦିଲ୍ଲୀସ୍ଥିତ ସର୍ବଭାରତୀୟ ଆଦିବାସୀ ସାମାଜିକ ଶିକ୍ଷା ଓ ସଂସ୍କୃତି ଆସୋସିଏସନ ପକ୍ଷରୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନଠାରେ ଆବେଦନ କରାଯାଇଥିଲା ଏବଂ ପ୍ରଶାସନ ଏହା ଉପରେ ବିଚାର କରିବା ନିମନ୍ତେ ବାରିପଦା ପୌରପରିଷଦକୁ ପଠାଇଦେଇଥିଲା । ପୌରପରିଷଦ  ପତ୍ର ସଂଖ୍ୟା-୨ / ୨୩.୧୦.୨୦୧୭ ଅନୁସାରେ ଗତ ୦୮.୧୧.୨୦୧୭ରେ କାଉନସିଲ ବୋଡର଼୍ ବୈଠକ ବସି ବିସ୍ତୃତ ଆଲୋଚନା ପରେ ଛକରେ ଥିବା ବିଦ୍ୟୁତ  ବିଭାଗର ସବଷ୍ଟେସନ ସ୍ଥାନାନ୍ତରିତ ହେବା ପରେ ଉକ୍ତ ସ୍ଥାନରେ ଗୋମକେ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତରିତ ହେବାର ସର୍ବସମ୍ମତି କ୍ରମେ ନିଷ୍ପତ୍ତି ଗୃହୀତ ହୋଇଥିଲା ଓ  ୨୦୧୭ ଡ଼ିସେମ୍ବର ୨୭ ପୌରପରିଷଦ କାଉନସିଲର ପରବର୍ତ୍ତି  ବୈଠକରେ ପାରିତ କରାଯାଇଥିଲା । ଏହି ସମୟରେ ସୁନାରାମ ସୋରେନ ଫାଉଣ୍ଡେସନ କମିଟି ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଅଣ୍ଟା ଭିଡ଼ି ଆଗେଇ ଆସିଥିଲା । କିନ୍ତୁ ୨୦୧୭ ଡ଼ିସେମ୍ବର ୨୯ରେ ତତ୍କାଳୀନ  ଜିଲାପାଳ ସୁରେନ୍ଦ୍ର କୁମାର ମୀନା ଭଞ୍ଜପୁର ଛକରେ ବାରିପଦା ପୌରପରିଷଦର ପ୍ଲଟ ନଂ ୧୬୧/୩୭୦ରେ ଏ୦.୦୬ଡ଼ି. ଜମି ଉପରେ ପ୍ରଶାସନ ପକ୍ଷରୁ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ପ୍ରକ୍ରିୟା ଆରମ୍ଭ କରିଥିଲେ । ମାତ୍ର ଉକ୍ତ ପ୍ଲଟକୁ ଜନସାଧାରଣ ଭଞ୍ଜପୁର ମାର୍କେଟ କମ୍ପେ୍ଲକ୍ସର ପାର୍କିଂ ସ୍ଥଳ ଏବଂ ଭଞ୍ଜପୁର ଦୁର୍ଗାପୂଜା ଓ ଲକ୍ଷ୍ମୀନାରାୟଣ ପୂଜା କମିଟି ଦ୍ୱାରା ପୂଜା ମଣ୍ଡପ ଭାବେ ବର୍ଷ ବର୍ଷ ଧରି ବ୍ୟବହାର କରିଆସୁଥିଲେ । ଫଳରେ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ପ୍ରକ୍ରିୟା କ୍ରମଶଃ ଏକ ଜଟିଳ ତଥା ବିବାଦୀୟ ପରିସ୍ଥିତିର ମୋଡ଼ ନେଇଥିଲା ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଅଙ୍କୁଶ ଲାଗିଥିଲା । ବାରିପଦା ପୌରପରିଷଦର ଭଞ୍ଜପୁର ବୁଢ଼ିଖମାରୀ ଅଞ୍ଚଳର ରଞ୍ଜନ କୁମାର ମିଶ୍ର(୫୨) ମୟୂରଭଞ୍ଜ ଜିଲ୍ଲାପ୍ରଶାସନ, ଆସେକା, ବାରିପଦା ପୌରପରିଷଦ ଆଦି ବିଭିନ୍ନ ଉପରିସ୍ଥ ବିଭାଗଗୁଡ଼ିକୁ ପକ୍ଷଭୂକ୍ତ କରାଇ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ନିମନ୍ତେ ଆବେଦନ କରାଯାଇଥିଲା । ନ୍ୟାୟାଳୟ ପକ୍ଷରୁ ଶ୍ରୀମିଶ୍ରଙ୍କ ଆବେଦନକୁ ଗ୍ରହଣ କରିବାପରେ  W.P.(C)(PIL)  ୫୦୪/୨୦୧୮ରେ ଏକ ମାମଲା ରୁଜୁ କରାଇବା ସଂଗେସଂଗେ ଷ୍ଟାଟାସକୋ(ରିହାତିଦେଶ) ପାଇଁ ଆଦେଶ ନାମା ଜାରି କରାଇଥିଲା । ଗତ ୨୦୧୮ ଡ଼ିସେମ୍ବର ୨୯ରେ ଉଚ୍ଚ ନ୍ୟାୟାଳୟର ଏକ ଖଣ୍ଡପୀଠ ବସି ଏହା ଉପରେ ଶୁଣାଣି କରିବା ପରେ ପ୍ରତିମୂର୍ତ୍ତି ସ୍ଥାନାନ୍ତରିତ ଉପରେ ଲଗାଯାଇଥିବା ଅଙ୍କୁଶ ହଟିଯାଇଥିଲେ ମଧ୍ୟ ଏକ ନୂଆ ବିବାଦ ମୁଣ୍ଡ ଟେକି ଉଭା ହେଲା । ଯାହାକୁ କେନ୍ଦ୍ର କରି ପ୍ରଶାସନ ୧୪୪ ଧାରା ଜାରିବାକୁ ବାଧ୍ୟ ହୋଇଛି । କିନ୍ତୁ, ଏହାକୁ ପ୍ରଶାସନର ଏକ ଚକ୍ରାନ୍ତ ଏବଂ ଏହା ବିରୋଧରେ ଅଦାଲତର ଦ୍ୱାରସ୍ଥ ହେବେ ବୋଲି ଆସେକା ପକ୍ଷରୁ ପୂର୍ଣ୍ଣ ହେମ୍ବ୍ରମ କହିଛନ୍ତି । 

0
0
0
s2sdefault