ହେଡଲାଇନସ୍:

ବିଜେପୁର ୟୁଜିବି ବ୍ୟାଙ୍କ ମ୍ୟାନେଜରଙ୍କୁ ଗୁଳିମାଡ଼ ଘଟଣା, ମୁଖ୍ୟ ଅଭିଯୁକ୍ତ ଗିରଫ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଟିିଟିଲାଗଡ଼,(ସୁନୀଲ ବେହେରା ) ଗତ ମାସ ଟିଟିଲାଗଡ଼ ବ୍ଲକ ବିଜେପୁର ଉତ୍କଳ  ଗ୍ରାମୀଣ ବ୍ୟାଙ୍କରେ ଘଟିଥିବା ଗୁଲିକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଟିଟିଲାଗଡ଼ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ ଟିଟିଲାଗଡ଼ ଜିଲ୍ଲା ଦାବି ନେଇ କୋର୍ଟ ବନ୍ଦ ରହିଥିବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ପ୍ରକାଶ ଯେ ଗତ ମାସ ୨୧ ତାରିଖ ଅପରାହ୍ନରେ ବିଜେପୁର ୟୁଜିବି ବ୍ୟାଙ୍କ ବ୍ୟାଙ୍କ ମ୍ୟାନେଜର କୋଶଲ ଚନ୍ଦ୍ର ଦୋରା (୫୮) ମଧ୍ୟାହ୍ନ ଭୋଜନ କରୁଥିବା ସମୟରେ ଦୁଇଜଣ କଲା ମୁଖା ଧାରୀ ବ୍ୟାଙ୍କକୁ ଯାଇ ଉପସ୍ଥିତ କ୍ୟାସିୟର ପଦ୍ମନାଭ ବିଶିଙ୍କୁ ବ୍ୟାଙ୍କ ମ୍ୟାନେଜର କେଉଁଠି ବୋଲି ପଚାରିଥିଲେ । ସେହି ସମୟରେ ମ୍ୟାନେଜର ଶ୍ରୀ ଦୋରା ମଧ୍ୟାହ୍ନ ଭୋଜନ ସାରି ତାଙ୍କ ପ୍ରକୋଷ୍ଠ  ଯାଉଥିବା ସମୟରେ ଉଭୟ ମୁଖା ଧାରୀ ତାଙ୍କୁ ଲୋନ ସଂକ୍ରାନ୍ତରେ ବୁଝି ନୂତନ ଖାତା ଖୋଲିବାକୁ କହିଥିଲେ । ଉଭୟଙ୍କୁ ବ୍ୟାଙ୍କ ମ୍ୟାନେଜର ଆବଶ୍ୟକ ଫର୍ମ ପୁରଣ କରିବାକୁ କହି ଫର୍ମ ଦେଇ ନିର୍ଦ୍ଧିଷ୍ଟ ସ୍ଥାନ ଚିହ୍ନଟ କରି ଦସ୍ତଖତ କରିବାକୁ କହିଥିଲେ । ସେହି ସମୟରେ ବ୍ୟାଙ୍କ ମ୍ୟାନେଜରଙ୍କ ପଛ ପଟେ ଛିଡ଼ା ହୋଇ ରହିଥିବା ଡେଙ୍ଗା ଯୁବକ ବ୍ୟାଙ୍କ ମ୍ୟାନେଜରଙ୍କ ତଣ୍ଟିକୁ ଜାବୁଡ଼ି ଧରି ପକାଇଥିଲା । ସେହି ସମୟରେ ସମ୍ମୁଖରେ ଥିବା ଅନ୍ୟ ଯୁବକ ଜଣକ ନିଜ ପକେଟରେ ଲୁଚାଇ ରଖିଥିବା ପିସ୍ତଲ ବାହାର କରିଥିଲେ । ଏହା ଦେଖି ବ୍ୟାଙ୍କ ମ୍ୟାନେଜର ଭୟଭୀତ ହୋଇ ଚୋର ଚୋର ବୋଲି ଚିତ୍କାର  କରିବାରୁ ଦୁର୍ବୁତ୍ତ ଜଣକ ତାଙ୍କ ପେଟକୁ ଲକ୍ଷ୍ୟ କରି ତିନୋଟି ଗୁଲି ଫାୟାର କରି ଟିଟିଲାଗଡ଼ ଅଭିମୁଖେ ଫେରାର ହୋଇଯାଇଥିଲେ । ଗୁଲି ଶବ୍ଦ ଶୁଣି ଗ୍ରାମବାସୀ  ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କ କର୍ମଚାରୀଙ୍କ ସହଯୋଗରେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ଆଣିଥିଲେ । ତାଙ୍କ ପେଟର ବାମ ପାଶ୍ୱରେ ଦୁଇଟି ଗୁଲି ଓ ତାଙ୍କ ବାମ ଜଙ୍ଘରେ ଗୋଟିଏ ଗୁଲି ବାଜିଥିଲା । ତିନୋଟି ସ୍ଥାନରେ ଗଭୀତ କ୍ଷତ ଚିହ୍ନ ଦେଖାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ପ୍ରଥମେ ତାଙ୍କୁ ବଲାଙ୍ଗିର ଓ ପରେ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବର୍ତ୍ତମାନ ସେ ବୁର୍ଲାରେ ଚିକିତ୍ସାଧୀନ  ରହିଛନ୍ତି । ତିନି ଜଣ ଦୁର୍ବୁତ୍ତ ଏକ ନମ୍ବର ବିହୀନ କଲା ରଙ୍ଗର ପଲସର ବାଇକରେ ଆସିଥିଲେ । ମୁଖା ପରିଧାନ କରିନଥିବା ଜଣେ ଯୁବକ ବ୍ୟାଙ୍କ ବାହାରେ ଜଗି ରହିଥିବା ବେଳେ ଦୁଇ ଜଣ ମୁଖା ପରିଧାନ କରିଥିବା ଯୁବକ ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ । ତେବେ ଧସ୍ତା ଧସ୍ତି ସମୟରେ ଜଣେ ଦୁର୍ବୁତ୍ତଙ୍କ ମୁଖା ତଲେ ପଡ଼ିଯାଇଥିଲା । ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଥାନାରେ ପୁଲିସ ଥାନା କେଶ ନଂ ୩୭୭ରେ ୩୯୪, ୫୧୧, ୩୦୭ ଓ ୨୫ ଆର୍ମ ଏକ୍ଟରେ ଏକ ମାମଲା ରୁଜୁ କରିଥିଲା । ବଲାଙ୍ଗିର ଏସପି କେ ଶୁବା ସୁବ୍ରମଣି, ଟିଟିଲାଗଡ଼ ଏସଡିପିଓ ସରୋଜ କୁମାର ମହାପାତ୍ର, ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ସଦଳବଳ ଘଟଣାସ୍ଥଳ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ତନାଘନା ଆରମ୍ଭ କରିଥିଲେ । ତେବେ ଶ୍ରୀ ଦୋରା ଚିକିତ୍ସାଧୀନ  ଅବସ୍ଥାରେ ଘଟଣା ଦିନର କଥା ସ୍ମରଣ କରିବାରୁ ସେହି ସମୟରେ ଡେଙ୍ଗା ଯୁବକ ଜଣକ ଅନ୍ୟ ଯୁବକକୁ ଦୀପୁ ଭାଗ ବୋଲି କହିଥିବା ସ୍ମରଣ କରି ଟିଟିଲାଗଡ଼ ପୁଲିସକୁ ଜଣାଇଥିଲେ । ପୁଲିସ ଏସମ୍ପର୍କରେ ତଦନ୍ତ କରି ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ଶଗଡ଼ଘାଟ ଗ୍ରାମର ପ୍ରଶାନ୍ତ ସାହୁଙ୍କ ଘର ଉପରେ ଗତକାଲି ବିଲମ୍ବିତ ରାତ୍ରୀରେ ଚଢଉ କରିଥିଲା । ପରେ ପୁଲିସ ସିକେର ଷ୍ଟେସନରେ   ରହିଥିବା ଅଭିଯୁକ୍ତ ଦୀପକ ସାହୁ ଓରଫ ଟିକୁ (୨୬)କୁ ଗିରଫ କରିବାରେ ସଫଳ ହୋଇଥିଲା । ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି । ଏସମ୍ପର୍କ ସ୍ଥାନୀୟ ଥାନାଧିକାରୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରି ଦେବା ସହ ତଦନ୍ତରେ ବାଧା ପହଞ୍ଚିବା ସହ ଅନ୍ୟ ଅଭିଯୁକ୍ତଙ୍କୁ ଠାବ କଲରିବାରେ କଷ୍ଟ ହେବ ବୋଲି କହିଥିଲେ । ପ୍ରକାଶ ଥାଉକି ଅଭିଯୁକ୍ତ ଦୀପକ ଗତ ୨୦୧୬ ମସିହା ଜାନୁଆରୀ ୫ ତାରିଖରେ ସହରରେ ହୋଇଥିବା ଅଢେଇ କୋଟି ଟଙ୍କାର ଏକ ଚୋରୀ ଘଟଣାରେ ହାଇକୋର୍ଟରୁ ଜାମିନରେ ଖଲାସ ହୋଇଥିବା ଏବଂ ଏକ ମୋଟେର ସାଇକେଲ ଚୋରୀ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିବା ଜଣାଯାଇଛି । 

0
0
0
s2sdefault