ମାନିବାକୁ ପଡିବ ଚୋରର ମସ୍ତୀ : କ୍ୟାରାମ ଖେଳି, ଡ୍ରାଇଫୁଡ଼ ଖାଇ.............

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘରେ କେହି ନଥିବା ବେଳେ କଳାକନା ବୁଲାଇ, କ୍ୟାରାମ ଖେଳି, ଡ୍ରାଇଫୁଡ଼ ଖାଇ ନଗଦ ୧.୫୦ ଲକ୍ଷ ସହିତ ଅଳଙ୍କାର ଆଦି ଲୁଟି ନେଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଜାନୁଆରୀ ୫ରେ ବାରିପଦା ଗସ୍ତକୁ ନେଇ ସହର ଚଳଞ୍ଚଳ ହୋଇ ଉଠିଛି । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱ କେନ୍ଦ୍ର ସୁରକ୍ଷା ବିଭାଗ ମୟୂରଭଞ୍ଜ ପୁଲିସ ହାତରୁ ନେଇ ସାରିଛି । ଏହି ସମୟରେ ଜିଲ୍ଲା ପୁଲିସ ଓ କେନ୍ଦ୍ର ସୁରକ୍ଷା ବିଭାଗକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ବାରିପଦା ସହରରେ ଚୋର ତାର କାରନାମା ଦେଖାଇ ଘରେ କେହି ନ ଥିବାର ସୁଯୋଗ ନେଇ କଳାକନା ବୁଲାଇ  ରାତିରେ ଘରେ କ୍ୟାରାମ ଖେଳି ମସ୍ତି କରିବା ସହିତ ରହିଥିବା ଡ୍ରାଇଫୁଡ଼ ଆଦିକୁ ଖାଇ କଳାକନା ବୁଲାଇ ନଗଦ ୧.୫୦ ଲକ୍ଷ ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ଆଦି ଧରି ଚମ୍ପଟ ମାରିଛି । ଏବିଷୟରେ ଘରର ମାଲିକ ବିଜୟ କୁମାର ମହାନ୍ତି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଚୋରୀ ଘଟଣାର ତଦନ୍ତ ଆରମ୍ଭ କରିବାରେ ବିଫଳ ହୋଇଥିବା ବିଷୟ ସହରବାସୀଙ୍କ ମଧ୍ୟରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ବାରିପଦା ସହରର ୨୫ ନଂ ୱାଡର଼୍ , ଦେବେନ୍ଦ୍ରପୁର ଶିବପ୍ରିୟା ପାର୍କ ପାଶ୍ୱର୍ରେ ବସବାସ କରୁଥିବା ତ୍ରିଲୋଚନ ମହାନ୍ତିଙ୍କ ପୁଅ ବିଜୟ ମହାନ୍ତି ପରିବାରର ସଦସ୍ୟମାନେ ଡ଼ିସେମ୍ବର ୩୧ ଘରେ ତାଲା ପକାଇ ଜଳେଶ୍ୱର ଶ୍ୱଶୁର ଘରକୁ ଯାଇଜାନୁଆରୀ ୩ ଗୁରୁବାର ପୂର୍ବାହ୍ନ ୧୦ରେ ଘରକୁ ଫେରି ଆସିବା ପରେ ଘରର ଫାଟକ ଓ କବାଟ ଭଙ୍ଗା ଯାଇଥିବାର ଦେଖିବାକୁ ପାଇଥିଲେ । ଘର  ଭିତରକୁ ଆସି ଆଲମାରୀ ଓ ଲକାର ଆଦି ଭଙ୍ଗା ଯାଇଛି, ତା ଭିତରେ ରହିଥିବା ନଗଦ ୧.୫୦ ଲକ୍ଷ ଟଙ୍କା,  ୪ଟି ସୁନା ଲକେଟ(୩୨ ହଜାର ଟଙ୍କା), ଗୋଟାଏ ସୁନା ଚେନ(୫୦ ହଜାର ଟଙ୍କା), ମଙ୍ଗଳସୂତ୍ର(୨୨ ହଜାର ଟଙ୍କା) ଆଦି ସୁନା ଗହଣା ସହିତ ୨ଟି ଏସବିଆଇ ଏଟିଏମ କାଡର଼୍, କିଛି ଅସବାବପତ୍ରକୁ ଚୋରମାନେ ନେଇ ଯାଇଥିବାର ଦେଖିବାକୁ ପାଇଥିଲେ । ସେହିପରି ଘର ଭିତରେ ତଳେ କ୍ୟାରାମ ବୋଡର଼୍ ଉପରେ ଗୋଟି ଗୁଡ଼ିକ ପଡ଼ିଛି ଓ ବିସ୍କୁଟ ସହିତ ଡ୍ରାଇଫୁଡ ଡବା ଖାଲି ପଡ଼ିଥିବାର ଦେଖିବାକୁ ପାଇଥିଲେ । ଏ ବିଷୟରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଆସି ଘରୁ କେବଳ ବୁଲି ଯାଇଥିବାର ଜଣାପଡ଼ିଛି । ବାରିପଦା ସହରରେ ଚୋରୀ , ଡ଼କାୟତି, ଛିନତାଇ ଆଦି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ପୁଲିସ କେବଳ ନୀରବ ଦ୍ରଷ୍ଟା ସାଜି ବସିଥିବାର ଜନସାଧାରଣ  ଅଭିଯୋଗ କରନ୍ତି । ତେବେ ଏ ବିଷୟରେ ଟାଉନ ଥାନା ଅଧିକାରୀ ଅଶୋକ କୁମାର ନାୟକଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା । 

 

 

0
0
0
s2sdefault