ହେଡଲାଇନସ୍:

କେବେ ଏମାନେ ଚାଖିବେ ଉଜ୍ଜ୍ୱଳାର ସ୍ୱାଦ : ଜାଳେଣି ପାଇଁ ଖଣିଅଞ୍ଚଳରେ ଉଜୁଡୁଛି ସଂରକ୍ଷିତ ଜଙ୍ଗଲ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

 ଲୋକଙ୍କ ଘରୁ ୪ ଟ୍ରକ୍ ଶାଳ କାଠ ଜବତ

କଟା ଗଛ ଗୁଡିକର ବୟସ ମାତ୍ର ୭/୮ବର୍ଷ 

ନିଜ ଏରିଆରୁ ଚୋରୀ ହେଉଥିବା ବେଳେ ଓଏମସି ନୀରବଦ୍ରଷ୍ଟା

ବଡ଼ବିଲ୍(ଚିତ୍ତରଞ୍ଜନ କର)

ବଡବିଲ୍ ରେଞ୍ଜ ଭଦ୍ରାସାହି ପଞ୍ଚାୟତ ଅନ୍ତର୍ଗତ ଭୁସୁଗାଁ ବିଜୁ ହଟିଂରୁ ବ୍ୟାପକ ପରିମାଣର ଶାଳ କାଠ ଜବତ ହୋଇଛି । ରବିବାର ପୋଲିସ ଓ ବନ ବିଭାଗ ବିଜୁ ହଟିଂର ବିଭିନ୍ନ ଲୋକଙ୍କ ଘରେ ମିଳିତ ଭାବେ ଚଢ଼ଉ କରି ବେଆଇନ୍ ଭାବେ ଗଚ୍ଛିତ ରଖାଯାଇଥିବା ୪ ଟ୍ରକ୍ ଶାଳ କାଠ ଜବତ କରିଛନ୍ତି । ଏଠାକର ସ୍ଥାନୀୟ ଲୋକେ ଅନେକ ଦିନ ହେବ ନିକଟବର୍ତ୍ତୀ ଠାକୁରାଣୀ ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଶାଳଗଛ ସବୁ କାଟି ନିଜ ଘରେ ଜମା ରଖିଥିଲେ  । ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ରବିବାର ଚଢ଼ଉ କରାଯଇଥିଲା । ବେଆଇନ୍ ଭାବେ ଜଙ୍ଗଲରୁ ମାତ୍ର ୭-୮ ବର୍ଷର ଶାଳ ଗଛ ସବୁ କାଟି ଦିଆଯାଇଛି । ପ୍ରାୟ ୧୬ ଶହ ଖଣ୍ଡ ବଲି ଆଜି ଜବତ ହୋଇଛି । ତେବେ ଏଥିପାଇଁ ବନ ବିଭାଗ ଦାୟୀ କରିଛି ଓଏମ୍ସିକୁ । ଏସବୁ ଗଛ ଓଡ଼ିଶା ଖଣି ନିଗମର ଏସକେବିକେ  ଖଣି ଲିଜ୍ ଅଞ୍ଚଳରୁ କଟାଯାଇଛି । ତେବେ ଏ ନେଇ ଓଏମ୍ସି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଇନାହାନ୍ତି କିମ୍ବା ଜଙ୍ଗଲ କଟାଯାଉଥିବା ସମ୍ପର୍କରେ କୌଣସି ସୂଚନା ବନ ବିଭାଗକୁ ଦେଇନଥିବା ବଡ଼ବିଲ୍ ରେଞ୍ଜର ପଦ୍ମନାଭ ରାଉତ କହିଛନ୍ତି । ତେବେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ସେମାନେ ଜାଳେଣୀ ପାଇଁ କାଠ ଜଙ୍ଗଲରୁ କାଟିଛନ୍ତି । ବର୍ତ୍ତମାନ ରନ୍ଧନ ଗ୍ୟାସ୍ ଦର ହଜାର ଟଙ୍କା ପାଖାପାଖୀ ପଡୁଥିବାରୁ ସେମାନଙ୍କ ପାଖରେ ଗ୍ୟାସ୍ କିଣିବା ପାଇଁ ପଇସା ନାହିଁ । ତେଣୁ ସେମାନେ ଜଙ୍ଗଲରୁ କାଠ କାଟିବାକୁ ବାଧ୍ୟ ହେଉଛନ୍ତି । ତେବେ ଏ ସମ୍ପର୍କରେ ଓଏମ୍ସି କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା  ମିଳିପାରିନାହିଁ । ହେଲେ ଗୋଟିଏ କଥା ହେଲା କେନ୍ଦ୍ର ସରକାର ଗରିବ ଲୋକଙ୍କ ପାଇଁ ମହାତ୍ୱାକାଂକ୍ଷୀ ଉଜ୍ଜ୍ୱଳା ଯୋଜନା ପ୍ରଚଳନ କରିଥିବାବେଳେ ଏହି ଲୋକମାନେ ତା'ର ଫାଇଦା ନନେଇ କାହିଁକି ଜଙ୍ଗଲ କାଟୁଛନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଯଦି ଏମାନେ ଉଜ୍ଜଳା ଯୋଜନାର ହିତାଧିକାରୀ ହୋଇପାରିନାହାନ୍ତି ତେବେ କେବେ ଏମାନଙ୍କ ପାଖରେ କେବେ ସେ ଯୋଜନାର ସୁଫଳ ପହଞ୍ଚିବ ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା । 

0
0
0
s2sdefault