ଏମିତି ଆସେ ମରଣ :  ଚିକିତ୍ସା ପାଇଁ ଯାଉଥିଲେ, ପହଂଚି ପାରିଲେନି

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଛରୁ ବାଇକକୁ ଧକ୍କା ଦେଲା ଡ଼ମ୍ପର, ଘଟଣା ସ୍ଥଳରେ ଶାଶୁ ମୃତ, ଝିଅ ଓ ଜ୍ୱାଇଁ ଗୁରୁତ୍ତର

୫ ଲକ୍ଷ ଟଙ୍କା ସହାୟତା ସହିତ ହମ୍ପସ ନିର୍ମାଣ ଦାବିରେ ରାସ୍ତା ରୋକ

ବାରିପଦା(ଅରବିନ୍ଦ ଦାସ) 

ମୃତ୍ୟୁ  ବି ଏମିତି ଆସିଥାଏ । ଝିଅ ଓ ଜ୍ୱାଇଁ ସହିତ ଡ଼ାକ୍ତର ଦେଖାଇବାକୁ ବାଇକରେ ଆସୁଥିବା ବେଳେ ୧୮ ନମ୍ବର ଜାତୀୟ ରାଜପଥର ମୁର୍ଗାବାଡ଼ି ଗୋଲେଇରେ ପଛରୁ ବାଇକକୁ ଡ଼ମ୍ପର ଧକ୍କା ଦେବାରୁ ଘଟଣାସ୍ଥଳରେ ଶାଶୁର ମୃତ୍ୟୁ ହୋଇଥିବା ବେଳେ ଝିଅ ଓ ଜ୍ୱାଇଁ ଗୁରୁତ୍ତର ଭାବେ ଆହତ ହୋଇ ବାରିପଦା ପିଆରଏମ ସରକାରୀ ଭେଷଜ ହସପିଟାଲ ଓ ମହାବିଦ୍ୟାଳୟରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି । ଏହି ଅଭାବନୀୟ ଦୁଃଖଦାୟକ ଘଟଣାକୁ ନେଇ ଉତ୍ତେଜନା ଦେଖାଦେବା ସାଙ୍ଗକୁ ସ୍ଥାନୀୟ ଜନସାଧାରଣ ମୁର୍ଗାବାଡ଼ି ଗୋଲେଇରେ ରାସ୍ତା ରୋକ କରିଥିଲେ । ଦାବି ରହିଥିଲା ମୃତକ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ ସାଂଗକୁ ଗାଡ଼ିମୋଟର ଗୁଡ଼ିକର ସ୍ପିଡ଼ କମାଇବା ନିମନ୍ତେ ଗୋଲେଇର ଉଭୟ ପାଶ୍ୱର୍ରେ ସ୍ପିଡ଼ ବ୍ରେକର ନିର୍ମାଣ କରାଯିବା ।

  ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ପଶ୍ଚିମବଙ୍ଗ ରାଜ୍ୟର ବହଳାଗୁଡ଼ା ଥାନା ଚଡ଼କମରା ଗ୍ରାମର ସବିତା ଘୋଷ(୫୫) ଆସୁସ୍ଥ ରହିଥିଲେ । ଅକ୍ଟୋବର ୨୮ ରବିବାର ବାରିପଦା ପିଆରଏମ ମେଡ଼ିକାଲକୁ ଡ଼ାକ୍ତରଙ୍କୁ ଦେଖାଇବା ନିମନ୍ତେ ତାଙ୍କର ଝିଅ ପ୍ରିୟଙ୍କା ପାତ୍ର(୩୫) ଓ ଜ୍ୱାଇଁ ଆନନ୍ଦ ପାତ୍ର(୪୫)ଙ୍କ ସହିତ ଓଡ଼ି ୧୧ସି-୨୩୧୩ ନମ୍ବର ବିଶିଷ୍ଟ ଧଳା ରଙ୍ଗର ହୋଣ୍ଡା କମ୍ପାନୀର ବାଇକରେ ଚଡ଼କମରା ଗ୍ରାମରୁ ଆସୁଥିବା ସମୟରେ  ମୁର୍ଗାବାଡ଼ି ଗୋଲେଇରେ ପଛରୁ ଜିଜେ ୩ଏଟି-୨୩୬୨ ନମ୍ବର ବିଶିଷ୍ଟ ଏକ ଡ଼ମ୍ପର ଦୃତ ଗତିରେ ଆସି ପଛରୁ ବାଇକକୁ ଧକ୍କା ଦେଇଥିଲା । ଫଳରେ ବାଇକ ଚାଳକ ଜ୍ୱାଇଁ ଆନନ୍ଦ ସହିତ ପଛରେ ବସିଥିବା ଝିଅ ପ୍ରିୟଙ୍କା ଓ ଶାଶୁ ସବିତା ତଳେ ପଡ଼ିଯାଇଥିଲେ । ମାତ୍ର ଡ଼ମ୍ପରର ପଛ ଚକ ଶାଶୁ ସବିତାର ମୁଣ୍ଡ ଉପର ଦେଇ ଚାଲିଯିବାରୁ ମୁଣ୍ଡଟି ଚୁରମାର ହୋଇଯାଇଥିଲା ଓ ଘଟଣାସ୍ଥଳରେ ଶାଶୁର ମୃତ୍ୟୁ  ହୋଇଥିଲା । ଦୁଘଟଣା ଘଟାଇବା ପରେ ଡ଼ମ୍ପରଟି ଗୋଲେଇରେ ଥିବା ତିନି କୋଣିଆ ଡ଼ାଇଭରସନ ଉପରକୁ ଚଢ଼ିଯାଇଥିଲା ଏବଂ ଡ଼ମ୍ପର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହି ଦୁର୍ଘଟଣାକୁ ନେଇ ସେଠାରେ ଉତ୍ତେଜନା ଦେଖା ଦେଇଥିଲା । ଉତ୍ୟକ୍ତ ଜନତା ମୃତକ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ସହିତ ବାରମ୍ବାର ଦୁର୍ଘଟଣା ଘଟି ଆସୁଥିବାରୁ ଉକ୍ତ ଗୋଲେଇରେ ଗାଡ଼ିମୋଟର ଗୁଡ଼ିକର ସ୍ପିଡ଼ କମାଇବା ନିମନ୍ତେ ଉଭୟ ପାଶ୍ୱର୍ରେ ସ୍ପିଡ଼ ବ୍ରେକର ନିର୍ମାଣ କରାଯିବା ରାସ୍ତା ଅବରୋଧ କରିଥିଲେ । ଖବରପାଇ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ବାରିପଦା ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବାରିପଦା ସଦର ଏସଡ଼ିପିଓ ଅଭିମନ୍ୟୁ ନାୟକ ଓ ବାରିପଦା ଟାଉନ ଥାନା ଆଇଆଇସି ଅଶୋକ କୁମାର ନାୟକ ସଦଳବଳେ ଘଟଣାସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଏସଡ଼ିପିଓ ଶ୍ରୀନାୟକଙ୍କ କହିବା ଅନୁସାରେ ରାସ୍ତା ଅବରୋଧ ହଟିଯାଇ ଗାଡ଼ିମୋଟର ଚଳାଚଳ ସ୍ୱଭାବିକ ହୋଇଛି । ବମ୍ପର ଚାଳକକୁ ପୁଲିସ ଗିରଫ କରିଛି ଓ ଡ଼ମ୍ପରକୁ ମଧ୍ୟ ଜବତ କରିଛି । ଆନେ୍ଦାଳନକାରୀମାନଙ୍କ ସହିତ ଆଲୋଚନା କରାଯାଇ ମୃତକଙ୍କ ପରିବାରକୁ ସରକାରଙ୍କ ଆଇନ ଅନୁସାରେ ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯିବ । ଗୋଲେଇରେ ପୁଲିସ ରହି ଗାଡ଼ିମୋଟର ଚଳାଚଳ ନିୟନ୍ତ୍ରଣ କରିବ ବୋଲି ସୂଚନା ଦେଇଥିଲେ ।

0
0
0
s2sdefault