ରାବଣ ଜଳିଲା, ହେଲେ ଲିଭିଗଲା ୫୦ ଜୀବନ ଦୀପ : ରକ୍ତରେ ଭିଜିଲା ଦଶହରା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅମୃତସର : ଅମୃତ ସହର ରକ୍ତରେ ଭିଜିଲା | ରାବଣ ଜଳିଲା ହେଲେ ଲିଭିଗଲା ୫୦ ଜୀବନ ଦୀପ | ରାବଣ ପୋଡି ଚାଲିଥିବା ବେଳେ ଘଟିଗଲା ଏକ ହୃଦୟ ବିଦାରକ ଘଟଣା । ପଞ୍ଜାବ ଅମୃତସରରେ ଆଜି ରାବଣ ପୋଡି ଉତ୍ସବ ଚାଲିଥିବା ବେଳେ ଏକ ବଡ ଧରଣର ଅଘଟଣ ଘଟିଛି । ରାବଣ ପୋଡି ଦେଖୁଥିବା ଲୋକଙ୍କ ଉପରେ ଟ୍ରେନ ଚଢିଯାଇଛି । ଟ୍ରେନ ଚଢିଯିବାରୁ ପାଖାପାଖି ୫୦ ଲୋକଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି । ଘଟଣାରେ ଅନେକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ନିଆଯାଉଛି ।

ସୂଚନା ଅନୁଯାୟୀ, ପଞ୍ଜାବ ଅମୃତସରର ଗୌଡା ବଜାର ନିକଟରେ ଆଜି ଆୟୋଜିତ ହେଉଥିଲା ରାବଣ ପୋଡି ଉତ୍ସବ । ଶତାଧିକ ଲୋକ ଏହି ଉତ୍ସବ ଦେଖିବାକୁ ଦୂର ଦୂରାନ୍ତରରୁ ଧାଇଁ ଆସିଥିଲେ । ଗୌଡା ବଜାର ରେଲୱେ ଟ୍ରାକ ନିକଟରେ ଏହି ଉତ୍ସବ ଚାଲିଥିଲା । ଏହି ସମୟରେ ପଠାନକୋଟରୁ ଅମୃତସର ଅଭିମୁଖେ ଏକ ଟ୍ରେନ ମାଡି ଆସୁଥିଲା । ଆଉ ଆଖି ପିଛୁଳାକେ ରାବଣ ପୋଡି ଦେଖୁଥିବା ଲୋକମାନଙ୍କ ଉପରେ ମାଡି ଯାଇଥିଲା ଜଳନ୍ଦର ଏକ୍ସପ୍ରେସ ।

ରାବଣରେ ନିଆଁ ଲାଗିବା ପରେ ଲୋକେ ଧାଁ ଧପଡ କରିଥିଲେ । ଏହି ସମୟରେ ମାଡି ଆସିଥିଲା ଟ୍ରେନ୍ । ଟ୍ରାକ ଉପରେ ରହିଯାଇଥିବା ଲୋକମାନଙ୍କ ଉପରେ ମାଡିଯାଇଥିଲା ଟ୍ରେନ । ଆଉ ଏଥିରେ ପାଖାପାଖି ୫୦ ଲୋକଙ୍କର ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ହସ୍ପିଟାଲ ପଠାଯାଉଛି । ସେପଟେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପଞାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ।

0
0
0
s2sdefault