ହେଡଲାଇନସ୍:

ସତରେ କଣ ଏ ଡାକ୍ତର ଅମଣିଷ, ଚିକିତ୍ସା ଅବହେଳାରୁ ପ୍ରସୂତୀର ମୃତ୍ୟୁ  ଅଭିଯୋଗ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କ୍ଷତିପୂରଣ ଓ ଡ଼ାକ୍ତରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ରାସ୍ତା ଅବରୋଧ

ବାରିପଦା(ଦିଲ୍ଲୀପ ମହାନ୍ତି )- ଆଦିବାସୀ ଅଧ୍ୟୁଷିତ  ମୟୂରଭଞ୍ଜ ଜିଲ୍ଲାରେ ସ୍ୱେସ୍ଥ୍ୟ ସେବା ବ୍ୟବସ୍ଥା ଭୂଷୁଡ଼ି ପଡ଼ିଛି । ଜିଲ୍ଲାର ସଦର ମହକୁମାସ୍ଥିତ ପିଆରଏମ ସରକାରୀ ଭେଷଜ ମହାବିଦ୍ୟାଳୟ ସହିତ ବିଭିନ୍ନ ସରକାରୀ ଚିକିତ୍ସାଳୟରେ ଚିକିତ୍ସାରେ ଅବହେଳା କାରଣରୁ ରୋଗୀର ମୃତ୍ୟୁ  ଭଳି ସଙ୍ଗୀନ ଅଭିଯୋଗ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ସମୟରେ ସ୍ୱାସ୍ଥ୍ୟ  ବିଭାଗ ଓ ସରକାର ଏ ଦିଗରେ ନିଘା ନାହିଁ କି ପଘା ନାହିଁ ନୀତି ଆପଣେଇ ଥିବା ବିଷୟକୁ ନେଇ ଚର୍ଚ୍ଚା ହେଉଛି । ଅଗଷ୍ଟ ୨୫ ଶନିବାର ବିଜଦର ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଉଦଳା ଗସ୍ତରେ ରହିଥିବା ସମୟରେ ଉଦଳା ହସପିଟାଲରେ ଚିକିତ୍ସା ଅବହେଳାରୁ ଏକ ପ୍ରସୂତୀର ମୃତ୍ୟୁ ଘଟଣାକୁ ନେଇ ଦେଖା ଦେଇଥିଲା ଉତ୍ତେଜନା । ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଡ଼ାକ୍ତର କମଳ ଲୋଚନ ସାହୁଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଓ ମୃତ ପ୍ରସୂତୀର ପରିବାରକୁ କ୍ଷତି ପୂରଣ ଦାବିରେ ଶତାଧିକ ମହିଳା ଓ ପୁରୁଷ ରାଜ ରାସ୍ତାକୁ ଉହ୍ଲାଇ ଆସିଥିବା ବେଳେ ଏହି ଆନେ୍ଦାଳନକୁ ସମର୍ଥନ ଜଣାଇ ସେମାନଙ୍କ ସହିତ ସାମିଲ ହୋଇଥିଲା ଝାମୁମୋ । ପ୍ରଥମେ ଶବକୁ ହସପିଟାଲ ସମ୍ମୁଖରେ ରଖି ଆନେ୍ଦାଳନ ଆରମ୍ଭ ହୋଇଥିଲା । ଖବର ପାଇ ଏସଡ଼ିଏମଓ ଡ଼ାକ୍ତର ଶିବାନନ୍ଦ ମହାନ୍ତି ଓ ଏସଡ଼ିପିଓ ସ୍ୱପ୍ନ ରଞ୍ଜନ ମହାପାତ୍ର ପହଁଞ୍ଚି ଆନେ୍ଦାଳନ କାରିମାନଙ୍କ ସହିତ ଆଲୋଚନା କରିଥିଲେ । ମାତ୍ର ସମାଧାନର କୌଣସି ରାସ୍ତା ନ ବାହାରିବା ପରେ ଆନେ୍ଦାଳନକାରୀମାନେ ବାରିପଦା-ଭୂବନେଶ୍ୱର ଭାୟା ଉଦଳା ରାଜ୍ୟ ରାଜପଥକୁ ଥାନାଛକ ନିକଟରେ ଅବରୋଧ କରିଥିଲେ । ଶନିବାର ଅପରାହ୍ନ ପ୍ରାୟ ସାଢେ଼ ୩ଟା ପାଖାପାଖି କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ପ୍ରଭାତ ରଞ୍ଜନ ମହାପାତ୍ର, ତହସିଲଦାର ରାଜେନ୍ଦ୍ର କର ଆନେ୍ଦାଳନକାରୀମାନଙ୍କ ନିକଟରେ ପହଁଞ୍ଚିଥି ଜିଲ୍ଲା ରେଡ଼କ୍ରସରୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ସହିତ  ଅନ୍ତ୍ୟେଷ୍ଟିକ୍ରିୟା  ନିମନ୍ତେ ହରିଶ୍ଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା ପ୍ରଦାନ କରାଯିବାର ଘୋଷଣା କରିଥିଲେ । ମାତ୍ର ଆନେ୍ଦାଳନକାରୀମାନେ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରିଥିବା ଡ଼ାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ  ଦାବିରେ ଅଟଳ ରହିଥିଲେ । ଶତାଧିକ ମହିଳା ଓ ପୁରୁଷ ଭୋକ ଉପବାସରେ ଉକ୍ତ ଆନେ୍ଦାଳନ ଜାରି ରଖିଥିବା ବେଳେ ଏମାନଙ୍କ ମଧ୍ୟରୁ ଜଣେ ମହିଳା ଆନ୍ଦୋଳନସ୍ଥଳରେ ନିଜର ସଂଜ୍ଞାହୀନ ହୋଇପଡ଼ିଥିବାର ଦେଖିବାକୁ ମିଳିଥିଲା । ଖବର ଲେଖା ଯିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିଥିଲା । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, କପ୍ତିପଦା ଥାନା ଅନ୍ତର୍ଗତ ପଦ୍ମପୋଖରୀ ଗ୍ରାମର ତପନ ମହାପାତ୍ରଙ୍କ ସ୍ତ୍ରୀ ରଶ୍ମୀତା  ମହାପାତ୍ରଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ତାଙ୍କୁ ଅଗଷ୍ଟ ୨୪ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୯ଟା ସମୟରେ ଉଦଳା ହସପିଟାରେ ଭର୍ତ୍ତି କରାଯାଇଥିଲା । ମଧ୍ୟାହ୍ନରେ ରଶ୍ମୀତା ସାଧାରଣ ଭାବେ ହସପିଟାଲରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ଅପରାହ୍ନ ପ୍ରାୟ ଅଢେ଼ଇଟା ସମୟରୁ ପ୍ରସୂତୀ ଯନ୍ତ୍ରଣା ଅନୁଭବ କରିଥିଲେ । ଏହା କ୍ରମଶଃ ବଢ଼ିବାରେ ଲାଗିଲା । ପ୍ରସୂତୀର ପରିବାରର ସଦସ୍ୟ ଏବିଷୟରେ ଡ଼ାକ୍ତରଙ୍କୁ ସୂଚନା  ଦେଇଥିଲେ ମଧ୍ୟ ଡ଼ାକ୍ତର ଏଦିଗରେ କର୍ଣ୍ଣପାତ କରିନଥିଲେ । ରାତିରେ ପ୍ରସୂତୀ ରଶ୍ମୀତା ଯନ୍ତ୍ରଣାରେ ଛଟପଟ ହେଉଥିବାର ଦେଖି ସ୍ୱାମୀ ତପନ ଡ୍ୟୁଟିରେ ରହିଥିବା ନର୍ସଙ୍କୁ ସାକ୍ଷାତ କରି ରୋଗୀର ଅବସ୍ଥା ଜଣାଇବା ସହିତ ଡ଼ାକ୍ତରଙ୍କୁ ଡ଼କାଇବା ନିମନ୍ତେ ଅନୁରୋଧ କରିବା ପରେ ନର୍ସ ଡ଼ାକ୍ତରଙ୍କୁ ଫୋନ କରିଥିଲେ ; ମାତ୍ର ଡ଼ାକ୍ତର ପ୍ରସୂତୀ ରଶ୍ମୀତାର ଅବସ୍ଥା ପରୀକ୍ଷା କରିକୁ ନ ଆସି ଯେଉଁ ଔଷଧ ରହିଛି ତାହା ଦେବାକୁ ନର୍ସକୁ ପରାମର୍ଶ ଦେଇଥିଲେ । ଶେଷରେ ରଶ୍ମୀତାର ଯନ୍ତ୍ରଣା ସବୁ ଦିନ ନିମନ୍ତେ କମି ଗଲା । ଯନ୍ତ୍ରଣାରେ ଛଟପଟ ହୋଇ ଶନିବାର ବିଳମ୍ବିତ ରାତି ପ୍ରାୟ ଦେଢ଼ଟା ମଧ୍ୟରେ ନିଜର ସଦ୍ୟ ଜନ୍ମିତ କନ୍ୟାର ମୁହଁ ନ ଦେଖିବାର ସୁଯୋଗ ନ ପାଇ ଆଖିବୁଜି ଦେଇଥିଲେ । ଏ ହେଉଛି ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ମୟୂରଭଞ୍ଜ ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବାର ନଗ୍ନ ଉଦାହରଣ ।

 

 

0
0
0
s2sdefault