ହେଡଲାଇନସ୍:

"ନାରୀ ସଶକ୍ତିକରଣ ନାଁରେ ଏସଏଚଜି ସଦସ୍ୟାମାନଙ୍କୁ ବିଜେଡି କର୍ମୀଭାବେ ବ୍ୟବହାର କରାଯାଉଛି"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦଳୀୟ ପ୍ରଚାର ଓ ଆତ୍ମରକ୍ଷା ପାଇଁ ବ୍ୟବହାର ନକରନ୍ତୁ ରାଜ୍ୟ ସରକାର: ସ୍ମୃତି ପଟ୍ଟନାୟକ

 ତରବରିଆଭାବେ ଆସନ୍ତା ୮ତାରିଖରେ ନିମାପଡାଠାରେ ମିଶନଶକ୍ତି ମାଧ୍ୟମରେ ମହିଳା ଏସଏଚଜିଙ୍କର ସଭା କାହାକୁ ଘଂଟ ଘୋଡାଇବା ପାଇଁ ଉଦ୍ଦିଷ୍ଟ !

ଭୁବନେଶ୍ୱର: ମିଶନଶକ୍ତିର ଉଦ୍ଦେଶ୍ୟ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ସେମାନଙ୍କ ଦକ୍ଷତା, କ୍ଷମତା, ଆର୍ôଥକ ସ୍ୱଚ୍ଛଳତା ବୃଦ୍ଧି କରିବା । କିନ୍ତୁ ଓଡ଼ିଶାରେ ମିଶନଶକ୍ତି ପଥଭ୍ରଷ୍ଟ ହୋଇଛି । ଏକତଃ ଓଡ଼ିଶାରେ ନାରୀ ସୁରକ୍ଷିତ ନୁହନ୍ତି । ଅନ୍ୟ ପକ୍ଷରେ ନାରୀ ସଶକ୍ତିକରଣ ନାଁରେ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ଶାସକ ବିଜୁ ଜନତା ଦଳର କର୍ମୀଭାବେ ବ୍ୟବହାର କରାଯାଉଛି ବୋଲି ଭାରତୀୟ ଜନତା ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ମୃତି ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
ଅତୀତରେ ଅନେକ ସମୟରେ ଶାସକ ଦଳର ଦଳୀୟ ସଭାସମିତି, ସରକାରୀ ସଭା ଓ ନିର୍ବାଚନ ସମୟରେ ମଧ୍ୟ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କୁ ବିଜୁ ଜନତା ଦଳର ଦଳୀୟ ରଙ୍ଗ ସବୁଜ ଶାଢ଼ି ପିନ୍ଧାଇ ଦଳୀୟ ପତାକା ଧରାଇ ଦଳୀୟ କର୍ମୀଭାବେ ତାଙ୍କୁ ବ୍ୟବହାର କରାଯାଉଥିବାର ଅନେକ ନଜିର ରହିଛି । ଏପରିକି ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ପଦାରେ ପଡିଯିବା ସମୟରେ ତଥା ଦୁଷ୍କର୍ମ, ହତ୍ୟା, ଅପରାଧ ଘଟଣାରେ ସଂପୃକ୍ତ ମନ୍ତ୍ରୀ, ବିଧାୟକମାନଙ୍କର ଅପରାଧ ଘଟଣାକୁ ଘଂଟ ଘୋଡାଇବା ଉଦ୍ଦେଶ୍ୟରେ ସରକାରଙ୍କ ଅନ୍ୟାୟ, ଅନିତୀ ସପକ୍ଷରେ ପ୍ରାୟୋଜିତ ସଭାସମିତିରେ ତାଙ୍କୁ ଛିଡା କରାଇବାକୁ ପଛାଉନାହାନ୍ତି ରାଜ୍ୟ ସରକାର ବୋଲି ଶ୍ରୀମତୀ ପଟ୍ଟନାୟକ ଆକ୍ଷେପ କରିଛନ୍ତି ।
ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ କୌଣସି ୟୁନିଫର୍ମ ଶାଢ଼ି ବା ପୋଷାକ ପିନ୍ଧିବାର ବ୍ୟବସ୍ଥା ଦେଶର ଆଇନରେ ନଥିବାବେଳେ ସେମାନଙ୍କୁ ସବୁଜ ରଙ୍ଗର ଶାଢ଼ି ପିନ୍ଧେଇବା ପାଇଁ ଓଡ଼ିଶା ମିଶନଶକ୍ତିକୁ ଅଧିକାର ଦେଲା କିଏ ବୋଲି ଶ୍ରୀମତୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କର ଦକ୍ଷତା ବିକାଶ ନିମନ୍ତେ ତାଙ୍କୁ ବିଭିନ୍ନ କ୍ଷେତ୍ରପାଇଁ ପ୍ରଶିକ୍ଷିଣ ଦିଆ ଯାଉନାହିଁ । ଅଥଚ ସେମାନଙ୍କୁ ମିଶନଶକ୍ତିର ସଭା ନାଁରେ ସରକାରୀ ଖର୍ଚ୍ଚରେ ସଭାକୁ ଡାକି ମନ୍ତ୍ରୀ, ବିଧାୟକମାନେ ତାଙ୍କ ସମ୍ମୁଖରେ ବିଜୁ ଜନତା ଦଳର ଗାଥା କେବଳ ଗାଉଛନ୍ତି । ‘ଆମେ ନବୀନ ବାବୁଙ୍କ ଫ୍ୟାନ’ କେତେବେଳେ ଅପରାଧର ସଂପୃକ୍ତ ଥିବା ଅନ୍ୟ ବିଜେଡି ନେତାଙ୍କ ଫ୍ୟାନ ବୋଲି ସେମାନଙ୍କ ମୁହଁରେ କୁହାଉଛନ୍ତି । ଏହାଦ୍ୱାରା ତାଙ୍କର କେଉଁ ଦକ୍ଷତାର ବିକାଶ ହେଉଛି ବୋଲି ରାଜ୍ୟ ସରକାର ସାଧାରଣରେ ଜବାବ ରଖିବା ପାଇଁ ଶ୍ରୀମତୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
ପ୍ରକାଶଥାଉ କି, ସମାଜର ସୁରକ୍ଷା ଏବଂ ସଭ୍ୟ ସମାଜ ନିର୍ମାଣରେ ନାରୀର ଅବଦାନ ଅବର୍ଣ୍ଣନୀୟ । ନାରୀର ସୁରକ୍ଷା ଏବଂ ସଶକ୍ତିକରଣ ହେଲେ ଦେଶର ଉନ୍ନତି ଘଟିବ । ତେଣୁ ନାରୀଙ୍କୁ ସ୍ୱତନ୍ତ୍ର କରିବା ଏବଂ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ଭାରତ ସରକାର ସର୍ବଦା ତତ୍‌ପର । ଏଥିପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ନିର୍ମାଣ ଓ ସଶକ୍ତିକରଣ ପାଇଁ ଗୋଷ୍ଠୀ ଗୁଡିକୁ ପ୍ରଥମେ ପ୍ରଶିକ୍ଷଣ, ପ୍ରୋତ୍ସାହନ ଓ ସ୍ୱଳ୍ପ ସୁଧରେ ବ୍ୟାଙ୍କ ଋଣ ସୁବିଧା ଯୋଗାଇ ଆତ୍ମନିର୍ଭରଶୀଳ କରିବାର ଉଦ୍ୟମ କରାଯାଇଛି । ସେଥିପାଇଁ କେନ୍ଦ୍ର ସରକାର ଅନେକ ଯୋଜନା, ଅର୍ଥ ବ୍ୟବସ୍ଥା କରିଥିବାବେଳେ ଓଡ଼ିଶାରେ ରାଜ୍ୟ ସରକାର ମିଶନଶକ୍ତିକୁ ଅପବ୍ୟବହାର କରୁଛନ୍ତି । ମିଶନଶକ୍ତି ମାଧ୍ୟମରେ ପ୍ରଶାସନିକ ଚାପ ପ୍ରୟୋଗ କରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀମାନଙ୍କୁ ଦଳୀୟ କାର୍ଯ୍ୟରେ ଲିପ୍ତ କରି ବିଜୁ ଜନତା ଦଳର ସଭାସମିତିକୁ ସଶକ୍ତ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ଶ୍ରୀମତୀ ପଟ୍ଟନାୟକ କହିଛନ୍ତି । ଯାହାକି ଓଡ଼ିଶାର ନାରୀଶକ୍ତିର ଦକ୍ଷତା ଓ ମାନସିକତାକୁ ସଂକୁଚିତ କରି ତାଙ୍କୁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଗଣ୍ଡି ଭିତରେ ସୀମାବଦ୍ଧ କରି ରଖିବାର ଅପଚେଷ୍ଟା କରୁଛନ୍ତି ରାଜ୍ୟ ସରକାର । ଶୁଣାଯାଉଛି ତରବରିଆଭାବେ ଆସନ୍ତା ୮ତାରିଖରେ ନିମାପଡାଠାରେ ମିଶନଶକ୍ତି ମାଧ୍ୟମରେ ମହିଳା ସ୍ୱୟଂସହାୟିକା ଗୋଷ୍ଠୀଙ୍କର ଏକ ସଭା କରିବାକୁ ଡାକିଛନ୍ତି ରାଜ୍ୟ ସରକାର । ନଗଦରେ ଜିଲ୍ଲା ପରିଷଦ ସଭ୍ୟ ସ୍ୱର୍ଗତଃ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ଘଟଣା ପଛରେ ଗଣଶିକ୍ଷାମନ୍ତ୍ରୀଙ୍କ ସଂପୃକ୍ତି ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସେଥିରେ ପାଣିପକାଇ ମନ୍ତ୍ରୀ ଶ୍ରୀ ସମୀର ଦାଶଙ୍କୁ ଘଂଟ ଘୋଡାଇବାର ଅପପ୍ରୟାସ କରୁଛି ବିଜେଡି ସରକାର । ରାଜନୈତିକ ଉଦ୍ଦେଶ୍ୟରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ବ୍ୟବହାର କରାନଯାଉ ଏବଂ ଏଭଳି ରାଜନୈତିକ ଉଦ୍ଦେଶ୍ୟରେ ହେଉଥିବା ସଭା ସମିତିରୁ ଓଡ଼ିଶା ମିଶନଶକ୍ତି ଦୂରେଇ ରହିବାକୁ ଶ୍ରୀମତୀ ପଟ୍ଟନାୟକ କଡା ଚେତାବନି ଦେଇଛନ୍ତି ।

0
0
0
s2sdefault