ହେଡଲାଇନସ୍:

କମିଶନରେଟ୍ ପୋଲିସର ଦୁର୍ଗାପୂଜା ପ୍ରସ୍ତୁତି - ଆଇନ ଶୃଙ୍ଖଳା ରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା - ପୂଜା ସମୟରେ ଅପରାହ୍ନ ୪ଟାରୁ ରାତି ୨ ଟା ପର୍ଯ୍ୟନ୍ତ ଭାରୀ ଯାନ ଉପରେ କଟକଣା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର, - କଟକ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜା (୨୬.୯.୨୦୧୭ ରୁ ୧.୧୦.୨୦୧୭) ଉପଲକ୍ଷେ ଆଇନ ଶୃଙ୍ଖଳା ରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ କମିଶନରେଟ୍ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । 

ଏହି ଅବସରରେ ଅନୁଷ୍ଠିତ ହେବାକୁ ଥିବା ରାବଣପୋଡ଼ି, ଭସାଣୀ ଉତ୍ସବ ଯେପରି ଶାନ୍ତି ଶୃଙ୍ଖଳା ହେବ ସେଥିପାଇଁ ମଧ୍ୟ ଅନୁରୂପ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଅପରାଧି, ଅସାମାଜିକ ବ୍ୟକ୍ତି, ଗୁଜବ ସୃଷ୍ଟିକାରୀଙ୍କ ସମେତ ଯେଉଁମାନଙ୍କ ମଧ୍ୟରେ ୱାରେଂଟି ରହିଛି ସେମାନଙ୍କୁ ଧରିବା ଲାଗି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଭୁବନେଶ୍ୱରରେ ବେଆଇନଭାବେ ମଦ  ଇ.ଏମ.ଏଫ.ଏଲ-୧୭୯, ଆସ୍କା ଫର୍ଟି, ଦେଶୀ ମଦ) ବିକ୍ରି କରୁଥିବା ଅଭିଯୋଗରେ ୭୧ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ବିରୁଦ୍ଧରେ ୬୭ଟି କେସ୍ ପଞ୍ଜିକୃତ କରାଯାଇଛି ।  ସେହିପରି କଟକରେ ଏହି ବେଆଇନ୍ ମଦ କାରବାରରେ ୧୩୬ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ସେମାନଙ୍କ ବିରୁଦ୍ଧରେ ୧୩୩ଟି କେସ୍ ରୁଜୁ କରାଯାଇଛି ବୋଲି ପୋଲିସ କମିଶନର ୱାଇ.ବି. ଖୁରାନିଆ ପ୍ରକାଶ କରିଛନ୍ତି । 

ସେହିପରି ଭୁବନେଶ୍ୱରରେ ୧୩ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ୯ଟି ଏନ.ଡି.ପି.ଏସ୍ କେସ୍ ରୁଜୁ କରାଯାଇଛି । କଟକରେ ୩ ଜଣଙ୍କୁ ଗିରଫ କରାଯାଇ ୩ଟି ଏନ.ଡି.ପି.ଏସ୍ କେସ୍ କରାଯାଇଛି । ଏମାନେ ଗଞ୍ଜେଇ, ବ୍ରାଉନ ସୁଗର କାରବାର କରୁଥିଲେ । ଏହ ବ୍ୟତୀତ ଭୁବନେଶ୍ୱରରେ ୪ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ଆଇ.ଟି.ପି କେସ୍ ପଞ୍ଜୀକୃତ କରାଯାଇଛି । ସେହିପରି କଟକରେ ୩ ଜଣଙ୍କୁ ଗିରଫ କରାଯାଇ ଗୋଟିଏ ଆଇ.ଟି.ପି କେସ୍ ରୁଜୁ କରାଯାଇଛି । ବେଆନ୍ ଅସ୍ତ୍ର ଶସ୍ତ୍ର ରଖିଥିବା ଅଭିଯୋଗରେ ଭୁବନେଶ୍ୱରରେ ୧୦ ଜଣଙ୍କୁ ଗିରଫ କରାଯାଇଥିଲା ବେଳେ ସେମାନଙ୍କ ବିରୁଦ୍ଧରେ ୭ଟି କେସ୍ କରାଯାଇଛି । କଟକରେ ୧୮ ଜଣଙ୍କୁ ଗିରଫ କରାଯାଇ ସେମାନଙ୍କ ବିରୁଦ୍ଧରେ ୬ଟି କେସ୍ କରାଯାଇଛି । ସେମାନେ ଏମ.ଏମ ପିସ୍ତଲ, ରିଭଲଭର, ଦେଶୀ ପିସ୍ତଲ, ଛୁରୀ, ସିଙ୍ଗଲ ବାରେଲ ବନ୍ଧୁକ ରଖିଥିଲେ । ସେଗୁଡ଼ିକ ମଧ୍ୟ ଜବତ କରାଯାଇଛି । ସେ ଜବତ ମଧ୍ୟରେ ରହିଛି ୭ଟି ପିସ୍ତଲ, ୯ ଏମ. ଏମ. ପିସ୍ତଲ-୨, ରିଭରଭଲ - ୫, ସିଙ୍ଗଲ ବାରେଲ ବନ୍ଧୁକ-୨, ଗୋଟିଏ ଛୁରୀ, ୧୮ଟି ଲାଇଫ୍ ଆମୁନିସନ ଜବତ ହୋଇଛି । ଉଭୟ ସହର କଟକ-ଭୁବନେଶ୍ୱରରେ ସମୁଦାୟ ୪୧୯ଟି ଏନ.ବି.ଡବ୍ଲୁ କୁ କାର୍ଯ୍ୟକାରୀ କରାଯାଇଛି । 

ଅପରପକ୍ଷରେ ଏହି ଦୁର୍ଗାପୂଜା ଉପଲକ୍ଷେ ସାଧାରଣ ଲୋକଙ୍କର ସୁରକ୍ଷା ଏବଂ ସୁବିଧା ପାଇଁ ଉଭୟ ଦ୍ୱୈତନଗରୀରେ ଅପରାହ୍ନ ୪ଟାରୁ ରାତି ୨ଟା ପର୍ଯ୍ୟନ୍ତ ଟ୍ରାଫିକ୍ ବ୍ୟବସ୍ଥାରେ କଟକଣା ଜାରି କରାଯାଇଛି । କୌଣସି ବଡ଼ ବଡ଼ ଗାଡ଼ି ଏହି ସମୟରେ ସହର ଭିତରକୁ ପ୍ରବେଶ କରିପାରିବ ନାହିଁ ବୋଲି କଟକଣା ଜାରି କରାଯାଇଛି । ଭୁବନେଶ୍ୱରର ଖଣ୍ଡଗିରି କ୍ରସିଂ ଠାରୁ ପୋଖରୀପୁଟ କ୍ରସିଂ ଭାୟା ଜାଗମରା ଓ ଗଣ୍ଡମୁଣ୍ଡା, ଫାୟାର ଟ୍ରେନିଂ  ସ୍କୁଲ କ୍ରସିଂ ଠାରୁ ଶିଶୁ ଭବନ ଛକ ଭାୟା ପାଇକ ନଗର, ଶିରିପୁର, ଗଙ୍ଗନଗର, ସିଆରପି କ୍ରସିଂରୁ ପାୱାର ହାଉସ କ୍ରସିଂ ଭାୟା ଷ୍ଟୁଆର୍ଟ ସ୍କୁଲ ଏବଂ ଆଠ ନମ୍ବର ଡିଏଭି ସ୍କୁଲ ଛକ ପର୍ଯ୍ୟନ୍ତ ବଡ଼ ଗାଡ଼ି ଯିବ ନାହିଁ । ସେହିପରି ଜୟଦେବ ବିହାର କ୍ରସିଂ ଠାରୁ ରାଜଭବନ ଯାଇଥିବା ରାସ୍ତା ଭାୟା ବେହେରା ସାହି, ଶାସ୍ତ୍ରୀ ନଗର କ୍ରସିଂ, ଜୟଦେବ ବିହାରଠାରୁ ନନ୍ଦନକାନନ, ଭାୟା ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା ଓ ପଟିଆ କ୍ରସିଂ, ଆଚାର୍ଯ୍ୟ ବିହାର କ୍ରସିଂରୁ ନିୟୁ ଏୟାରପୋର୍ଟ ବିମାନଘାଟି, ଭାୟା ନିକୋ ପାର୍କ ପଟେଲ ମାର୍ଗ ହାଉସିଂ ବୋଡର଼୍, ରବୀନ୍ଦ୍ର ମଣ୍ଡପ ଏବଂ ଏଜି କ୍ରସିଂ ପର୍ଯ୍ୟନ୍ତ ବଡ଼ ଗାଡ଼ି ଯିବ ନାହିଁ । ଏହା ବ୍ୟତୀତ ବାଣୀବିହାର କ୍ରସିଂ ଠାରୁ ଶିଶୁ ଭବନ ଛକ ଭାୟା ରୂପାଲି, ସତ୍ୟନଗର, ରାମ ମନ୍ଦିର, ମାଷ୍ଟର କ୍ୟାଂଟିନ, ରାମ ମନ୍ଦିର ଓ ରାଜମହଲ ଛକ, ରସୁଲଗଡ଼ କ୍ରସିଂ ଠାରୁ ଲିଙ୍ଗିପୁର କ୍ରସିଂ ଭାୟା ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ, ସାମନ୍ତରାପୁର କ୍ରସିଂ ଏବଂ ବରମୁଣ୍ଡା ଠାରୁ ପଳାଶୁଣି ପର୍ଯ୍ୟନ୍ତ ଥିବା ଜାତୀୟ ରାଜପଥ ୧୬ ନମ୍ବରକୁ ସଂଯୋଗ କରୁଥିବା  ରାସ୍ତା ଗୁଡ଼ିକରେ ମଧ୍ୟ ଏହି ବଡ଼ ଗାଡ଼ି ଚାଲିବ ନାହିଁ । 

ଏହା ବ୍ୟତୀତ ପୁରୀ-ଭୁବନେଶ୍ୱର ଚଳ ପ୍ରଚଳ କରୁଥିବା ଯାତ୍ରୀବାହୀ ବସ୍ ଗୁଡ଼ିକ ଲିଙ୍ଗିପୁର ଠାରୁ ବରମୁଣ୍ଡା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଭାୟା ସାମନ୍ତରାପୁର, କଳ୍ପନ, ରାଜମହଲ, ଶିଶୁଭବନ, ଗଙ୍ଗନଗର, ଫାୟାର ଟ୍ରେନିଂ ସ୍କୁଲ ଦେଇ ଯିବା ଆସିବା କରିବ । ସେହିପରି ବରମୁଣ୍ଡାରୁ ପୁରୀ ଯାଉଥିବା ବସ୍ ଗୁଡ଼ିକ  ଶିଶୁ ଭବନ କ୍ରସିଂ, ମାଉସୀମା ଛକ, ମୁ୍ୟଜିୟମ, ସାମନ୍ତରାପୁର ଠାରୁ ଲିଙ୍ଗିପୁର ଜାତୀୟ ରାଜପଥ ଦେଇ ଚଳପ୍ରଚଳ କରିବ । ଏହି କଟକଣାକୁ ଯିଏ ଉଲ୍ଲଂଘନ କରିବ ତାଙ୍କ ଉପରୁ ଜୋରିମନା ବାବଦରେ ସର୍ବନିମ୍ନ ୫ ଶହ ଟଙ୍କାରୁ ୧ ହଜାର ଟଙ୍କା ଆଦାୟ କରାଯିବ । ଏହି ଫାଇନ୍ ଆଦାୟ ପାଇଁ ପୋଲିସ ଇନ୍ସପେକ୍ଟର ପାହ୍ୟାର ଅଧିକାରୀଙ୍କୁ କ୍ଷମତା ଦିଆଯାଇଛି ।

0
0
0
s2sdefault