ହେଡଲାଇନସ୍:

ମାତୃହନ୍ତା ପୁଅକୁ ଆଜୀବନ ଜେଲ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ସେସନ ଜଜ୍ ପ୍ରମୋଦ କୁମାର ଜେନା ଆଜି ଏକ ହତ୍ୟା ମାମଲାର ବିଚାର କରି ମା ହତ୍ୟାକାରୀ ପୁଅକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଇଛନ୍ତି । ଏଥି ସହିତ ୧୦ ହଜାର ଟଙ୍କା ଅର୍ଥଦଣ୍ଡ , ଏହା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୬ ଜୁନ ୨୬ରେ ଉଦଳା ଥାନା ଅନ୍ତର୍ଗତ ବାହାଲଗଡ଼ି ଗ୍ରାମର ନିଶା ମଣି ମୁର୍ମୁ(୫୫) ତାଙ୍କ ବଡ଼ପୁଅ ଜିତରାୟ ମୁର୍ମୁଙ୍କୁ ସାଥୀରେ ଧରି ଉକ୍ତ ଥାନା ଅଧୀନରେ ଥିବା ହାତୀସାହି ଗ୍ରାମରେ ଜ୍ୱାଇଁ ନିମାଇଁ ବାସ୍କେଙ୍କ ଘରକୁ ବୁଲିବାକୁ ଆସିଥିଲେ । ଏହାର ପରବର୍ତ୍ତି ଦିନ ୨୭/୦୬/୨୦୧୬ରେ ଜ୍ୱାଇଁ ନିମାଇଁ ବିଲକୁ ଓ ଝିଅ ନିକଟସ୍ଥ ନଳକୂପକୁ ଅପରାହ୍ନ ପ୍ରାୟ ୪ଟା ସମୟରେ ପାଣି ଆଣିବାକୁ ଯାଇଥିବା ବେଳେ ଘରେ ଶାଶୁ ଣିଶାମଣି ଓ ପୁଅ ଜିତରାୟ ରହିଥିଲେ । କୌଣସି କାରଣକୁ ନେଇ ମା ଓ ପୁଅଙ୍କ ମଧ୍ୟରେ ଝଗଡ଼ା ଲାଗିବାରୁ ସେଥିରେ ପୁଅ ଜିତରାୟ ଉତକ୍ଷିପ୍ତ ହୋଇ ଘରର ବାରଣ୍ଡାରେ ପଡ଼ିଥିବା ଏକ କୁରାଢ଼ୀ ଆଣି ସେଥିରେ ମା ନିଶାମଣିର ଡ଼ାହାଣ ପାଖ ମୁଣ୍ଡକୁ ହାଣି ଦେଇଥିଲା । ଫଳରେ ଘଟଣାସ୍ଥଳରେ ନିଶାମଣିର ମୃତୁ୍ୟ ହୋଇଥିଲା । ଏହି ସମୟରେ ଝିଅ ନଳକୂପରୁ ପାଣି ଧରି ଫେରିଆସି ଥିଲା । ନିଜ ଭାଇର ଏହି ଭଳି ନୃଶଂସ କାଣ୍ଡକୁ ନିଜ ଆଖିରେ ଦେଖିବା ପରେ ଭୟଭିତ ହୋଇ ଦୌଡ଼ି ପଳାଯାଇଥିଲା । ପାଟିତୁଣ୍ଡଶୁଣି ଘଟଣାସ୍ଥଳରେ ଗ୍ରାମବାସୀମାନେ ରୁଣ୍ଡ ହେବାରୁ ଅଭିଯୁକ୍ତ ଜିତରାୟ ହାତରେ ରକ୍ତ ଲଗା କୁରାଢ଼ୀକୁ ଧରି ପଳାଇ ଯିବାକୁ ଉଦ୍ୟମ କରିଥିଲା । ମାତ୍ର ଗ୍ରାମବାସୀମାନେ ଚତୁର୍ଦ୍ଧିଗରୁ ଘେରିଯାଇଥିବାରୁ ଅଭିଯୁକ୍ତ ଜିତରାୟ ଗ୍ରାମର ସେଗେଲ ବାସ୍କେଙ୍କ ବାଡ଼ି ଭିତରକୁ ପଶିଯାଇ ତା ନିକଟକୁ ଯିଏ ଯିବ ତାକୁ ଜୀବନରୁ ମାରି ଦେବାର ଧନକ ଦେଉଥିଲା । ଜ୍ୱାଇଁ ନିମାଇଁ ବାସ୍କେ କୌଣସି ଉପାୟ ନ ପାଇ ଉଦଳା ଥାନାକୁ ଦୌଡ଼ିଯାଇ ସମସ୍ତ ଘଟଣା ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହାର କୁରାଢ଼ୀକୁ ମଧ୍ୟ ଜବତ କରିଥିଲା । ଏହାକୁ ନେଇ ଉଦଳା ଥାନାରେ ୧୨୫/୨୦୧୬ରେ ଏକ ମାମଲା ରୁଜୁ କରାଯାଇ ଥିଲା । ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣପତ୍ରକୁ ଭିତ୍ତିକରି ଅଦାଲତ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରି ପିପି ଶରଦ ଚନ୍ଦ୍ର ସାମନ୍ତ ପରିଚାଳନା କରିଥିଲେ ।

 

0
0
0
s2sdefault