ଯାଜପୁର ପୋଲିସକୁ ବଡ ସଫଳତା,  ଜେଲ ଗଲେ ୭ ଆନ୍ତଃରାଜ୍ୟ ଡକାୟତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁରରୁ ଜୟଶଙ୍କର ଦାଶ : ଯାଜପୁର ଧର୍ମଶାଳା ପୋଲିସ ସ୍ଥାନୀୟ ଜାରକା ନିକଟରୁ ୭ଜଣ ଆନ୍ତଃ ରାଜ୍ୟ ଡକାୟତ ଶୁକ୍ରବାର  ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି । ଆଜି ପାଣିକୋଇଲି ପୋଲିସ ମୁଖ୍ୟାଳୟରେ ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯାଜପୁର ଏସପି ଚରଣ ସିଂ ମୀନା । ଗିରଫ ଡକାୟତ ମାନଙ୍କ ନିକଟରୁ ଦୁଇଟି ପିସ୍ତଲ, ଦୁଇଟି ଅଫୁଟା ହାତବୋମା, କେତେକ ଜୀବନ୍ତ ଗୁଳି, ଭୁଜାଲି, ଗୁପ୍ତି ଆଦି ମାରଣାସ୍ତ୍ର, ୧୧ ଗୋଟି ମୋବାଇଲ ଫୋନ, ୪ଟି ବାଇକ୍ ଆଦି ଜବତ କରିଛି ପୋଲିସ । ଏମାନେ ଯାଜପୁର ଜିଲ୍ଲା ସମେତ ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଗିରଫ ଡକାୟତଙ୍କ ମଧ୍ୟରେ ୪ ଜଣ ଢେଙ୍କାନାଳ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ତିନି ଜଣ ଯାଜପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ଗିରଫଙ୍କ ମଧ୍ୟରେ ଢେଙ୍କାନାଳ ନିହାଲପ୍ରସାଦ ଅଞ୍ଚଳର ରାଜା ଓରଫ୍ ରାଜେଶ କୁମାର ଧଳ ଏହି ଡକାୟତ ଦଳର ମାଷ୍ଟର ମାଇଣ୍ଡ ଥିବା ଏସପି କହିଛନ୍ତି । ଏହି ଡକାୟତ ମାନେ ଜାରକା ନିକଟସ୍ଥ ଏକ ନିରୋଳା ସ୍ଥାନରେ ସଂଘବଦ୍ଧ ହୋଇ ଏହି ଅଞ୍ଚଳରେ ଏକ ବଡ ଧରଣର ଡକାୟତି କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲେ । କୌଣସି ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଉକ୍ତ ସ୍ଥାନ ଉପରେ ଅତର୍କିତ ଚଢାଉ କରିଥିଲା । ଘଟଣାସ୍ଥଳରୁ ୭ ଜଣଙ୍କୁ ଗିରଫ୍ କରିବାକୁ ସକ୍ଷମ ହୋଇଥିବା ଅନ୍ୟ ତିନି ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପୋଲିସ ଆଜି ଅପରାହ୍ନରେ ଏହି ଡକାୟତ ମାନଙ୍କୁ ଯାଜପୁର କୋର୍ଟକୁ ଚାଲାଣ କରିଥିବା ଜଣାପଡିଛି । ତେବେ ଖୁବଶୀଘ୍ର ଅନ୍ୟମାନେ ପୋଲିସ ହାତରେ ଧରାପଡିବେ ବୋଲି ଏସପି ଶ୍ରୀ ମୀନା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

0
0
0
s2sdefault