ହେଡଲାଇନସ୍:

ରାଉରକେଲା ଇସ୍ପାତ କାରଖାନାର ଦୀପିକା ଇସ୍ପାତ ଶିକ୍ଷା ସଦନ : ଅବହେଳିତ ବର୍ଗର ପିଲାଙ୍କ ବର୍ତ୍ତମାନ ଓ ଭବିଷ୍ୟତ ଗଢିବା ପାଇଁ ଉତ୍ସର୍ଗିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

Rourkela/Sushanta Behera : ସେଲ ରାଉରକେଲା ଇସ୍ପାତ କାରଖାନାର ନିଃଶୁଳ୍କ ବିଦ୍ୟାଳୟ, ଦୀପିକା ଇସ୍ପାତ ଶିକ୍ଷା ସଦନକୁ ଯଦି କେହି ଭ୍ରମଣରେ ଯାଆନ୍ତି ଏବଂ  ଛାତ୍ରଛାତ୍ରୀମାନଙ୍କ ସହିତ ବାର୍ତ୍ତାଳାପ କରନ୍ତି, ସେମାନଙ୍କର ପ୍ରତିଭା ସମ୍ପର୍କରେ ଅବଗତ ହୁଅନ୍ତି ଓ ଉଭୟ ପାଠ୍ୟ ତଥା ପାଠ୍ୟୋତ୍ତର କାର୍ଯ୍ୟଧାରାରେ ସେମାନଙ୍କ ମଧ୍ୟରେ ଥିବା ଉତ୍ସାହ ଓ ସ୍ଫୁର୍ତ୍ତିକୁ ଅନୁଧ୍ୟାନ କରନ୍ତି, ତେବେ ତାଙ୍କ ପାଇଁ ଏହା ଅନୁମାନ କରିବା କଷ୍ଟସାଧ୍ୟ ହେବ ଯେ, ସେମାନେ ଇସ୍ପାତ ସହରର ଅତ୍ୟନ୍ତ ଗରିବ ପରିବାରରୁ ଆସିଛନ୍ତି । ବିଦ୍ୟାଳୟର ଉନ୍ନତ ପରିବେଶ ଅଥବା ଉତ୍ତମ ପୋଷାକ ପରିଧାନ କରିଥିବା ପିଲାମାନଙ୍କ ମଧ୍ୟରେ ଥିବା ଉତ୍ସାହ ଦେଖି, କେହି ଜାଣିବା କଠିନ ଯେ ସେମାନେ ଇସ୍ପାତ ସହରର ବିଭିନ୍ନ ବସ୍ତି ଓ ସଭେଣ୍ଟ କ୍ଵାର୍ଟରର ଆର୍ଥିକ ଦୁର୍ବଳ ଶ୍ରେଣୀରୁ ଆସିଛନ୍ତି ।  ଶ୍ରୀମତୀ ସବିତା କୁମାରୀଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ କରୁଥିବା ରାଉରକେଲାର ଅଗ୍ରଣୀ ଜନହିତୈଷୀ ଅନୁଷ୍ଠାନ ଦୀପିକା ମହିଳା ସଂଘତି ଦ୍ଵାରା ପରିଚାଳିତ ଦୀପିକା ଇସ୍ପାତ ଶିକ୍ଷା ସଦନ ସଫଳତା ସହକାରେ ପିଲାମାନଙ୍କର ସାମଗ୍ରିକ ବିକାଶ ଉପରେ ଧ୍ୟାନ କେନ୍ଦ୍ରିତ କରିଆସୁଛି ଏବଂ ସମ୍ପ୍ରତି ସହରର ସର୍ବୋତ୍ତମ ଶିକ୍ଷାନୁଷ୍ଠାନ ମଧ୍ୟରେ ସ୍ଥାନ ପାଇଛି । 

 ପୂର୍ବରୁ ସେକ୍ଟର ୪ ରେ ଅବସ୍ଥାନ କରୁଥିବା ଦୀପିକା ଇସ୍ପାତ ଶିକ୍ଷା ସଦନକୁ ସମ୍ପ୍ରତି  ସେକ୍ଟର ୧୮ ସ୍ଥିତ ଏକ ବୃହତ୍ତର ଓ ଉନ୍ନତତର ବିଦ୍ୟାଳୟ ପରିସରକୁ ସ୍ଥାନାନ୍ତରିତ କରାଯାଇଛି ।  ୬୨୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ଏହି ବିଦ୍ୟାଳୟରେ ନିଃଶୁଳ୍କ ଶିକ୍ଷାଦାନ କରାଯିବା ସଙ୍ଗେସଙ୍ଗେ ପିଲାମାନଙ୍କର ବିଭିନ୍ନ ଅନ୍ୟାନ୍ୟ ଆବଶ୍ୟକତା ମଧ୍ୟ ପୂରଣ କରାଯାଉଛି । ଛାତ୍ରଛାତ୍ରୀମାନଙ୍କୁ ପ୍ରତ୍ୟେକ ବର୍ଷ ସେମାନଙ୍କର ସମସ୍ତ ପାଠ୍ୟପୁସ୍ତକ, ଆନୁଷଙ୍ଗିକ ପାଠ୍ୟ ଉପକରଣ ତଥା ଶୀତ ଓ ଗ୍ରୀଷ୍ମକାଳୀନ ୟୁନିଫର୍ମ ପୋଷାକ, ଜୋତା ଇତ୍ୟାଦି ମାଗଣାରେ ପ୍ରଦାନ କରାଯାଉଛି। ପିଲାମାନଙ୍କୁ ଆରଏସପିର ଅକ୍ଷୟ ପାତ୍ର ପ୍ରକଳ୍ପ ମାଧ୍ୟମରେ ପୁଷ୍ଟିକର ମଧ୍ୟାହ୍ନ ଭୋଜନ ଯୋଗାଇଦିଆଯାଉଛି । ଏହି ବିଦ୍ୟାଳୟରେ ପିଲାମାନଙ୍କର ସାମଗ୍ରିକ ବିକାଶ ସାଧନ ଉପରେ ସର୍ବାଧିକ ଗୁରୁତ୍ଵ ପ୍ରଦାନ କରାଯାଇଥାଏ। ପାଠ୍ୟକ୍ରମ ସହିତ ଛାତ୍ରଛାତ୍ରୀମାନଙ୍କୁ ଆର୍ଟ, କ୍ରାଫ୍ଟ, କ୍ରୀଡା ଏବଂ ଶାରୀରିକ ଶିକ୍ଷା, ସଙ୍ଗୀତ ଓ ନୃତ୍ୟ ଶିକ୍ଷା ମଧ୍ୟ ପ୍ରଦାନ କରାଯାଉଛି । ନୂତନ ବିଦ୍ୟାଳୟ ପରିସର ରେ ବୃହତ ପ୍ରେକ୍ଷାଳୟ, ଖେଳ ପଡିଆ, ଗ୍ରନ୍ଥାଗାର ଓ ବିଜ୍ଞାନାଗାର ନିମନ୍ତେ କକ୍ଷ ଭଳି ଅତିରିକ୍ତ ସୁବିଧା ଉପଲବ୍ଧ ରହିଛି । ଶୃଙ୍ଖଳା ରକ୍ଷା ଏବଂ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟର ବିଭିନ୍ନ ସ୍ଥାନରେ ସିସିଟିଭି କ୍ୟାମେରା ଲଗାଯାଇଛି । ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟରେ ସ୍ଵଚ୍ଛ ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଭଳି ଅନେକ ବ୍ୟବସ୍ଥା ଉପଲବ୍ଧ କରାଯାଇଛି ଯାହା ଭିତ୍ତିଭୂମି ଅନୁପାତରେ ଏହାକୁ ସହରର ଅନ୍ୟ ସମସ୍ତ ବିଦ୍ୟାଳୟର ସମକକ୍ଷ କରିପାରିଛି। 

ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ଉଭୟ ପାଠ୍ୟ ଓ ପାଠ୍ୟୋତ୍ତର କାର୍ଯ୍ୟଧାରାରେ ହାସଲ ପୁରସ୍କାର ଓ ସମ୍ମାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ନିଶ୍ଚୟ।  ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ଵାରା ଆୟୋଜିତ ଚଳିତ ବର୍ଷର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ବିଦ୍ୟାଳୟର ୯ ଜଣ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗତ ଶିକ୍ଷାବର୍ଷରେ ବିଦ୍ୟାଳୟର ୨ଜଣ ଛାତ୍ରୀ ତୃତୀୟ ଓ ପଞ୍ଚମ ଶ୍ରେଣୀରେ କୃତିତ୍ଵ ଅର୍ଜ୍ଜନ କରି ବୃତ୍ତି ଲାଭ କରିଥିଲେ।  ସୂଚନାଯୋଗ୍ୟ ଯେ, ବୃତ୍ତି ପରୀକ୍ଷାରେ ଅବତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ ସ୍ଵତନ୍ତ୍ର କୋଚିଙ୍ଗ ସହାୟତା ଯୋଗାଇଦେଉଛନ୍ତି। 

ପାଠ୍ୟୋତ୍ତର କାର୍ଯ୍ୟଧାରାରେ ମଧ୍ୟ ଛାତ୍ରଛାତ୍ରୀମନେ ନିରନ୍ତର ରୂପେ ପୁରସ୍କାର ଲାଭ କରୁଛନ୍ତି। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଓଡିଶାର ମାନ୍ୟବର ରାଜ୍ୟପାଳଙ୍କ ଠାରୁ ସ୍କାଉଟ ଓ ଗାଇଡ ନିମନ୍ତେ ରାଜ୍ୟ ପୁରସ୍କାର ଗ୍ରହଣ କରିଛନ୍ତି। ଏଥି ସମେତ ସେମାନେ ବିଜ୍ଞାନ ପ୍ରଦର୍ଶନୀ, ବକ୍ତୃତା, ପ୍ରବନ୍ଧ, କୁଇଜ, ସଙ୍ଗୀତ ଓ କ୍ରୀଡା ଆଦି ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷତା ହାସଲ କରୁଛନ୍ତି। 

ବିଦ୍ୟାଳୟରୁ ପାସ କରିବା ପରେ ମଧ୍ୟ ଆରଏସପି ସେମାନଙ୍କୁ ସହାୟତା ଯୋଗାଇଦେଉଛି। ଆରଏସପିର ସିଇଓ, ଶ୍ରୀ ଅଶ୍ଵିନୀ କୁମାରଙ୍କ ମାର୍ଗଦର୍ଶନରେ ବିଗତ ତିନି ବର୍ଷ ଧରି ଉଚ୍ଚଶିକ୍ଷା ଲାଭ ନିମନ୍ତେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇଦିଆଯାଉଛି।  ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ଭୁବନେଶ୍ଵର ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ କିସରେ ପଢିବା ନିମନ୍ତେ ଆରଏସପି ଛାତ୍ରବୃତ୍ତି ଯୋଗାଇଦେଉଛି।  ଦୀପିକା ଇସ୍ପାତ ଶିକ୍ଷା ସଦନ ଅବହେଳିତ ବର୍ଗର ପିଲାମାନଙ୍କୁ ସ୍ଵପ୍ନ ଦେଖିବା ସହିତ ସେମାନଙ୍କ ସ୍ଵପ୍ନକୁ ସାକାର କରିବା ନିମନ୍ତେ ଅନୁପ୍ରେରିତ କରୁଛି । 

0
0
0
s2sdefault